Unknown

 

 

 

 

 

 

 

 

 

ଢୁମ୍ପା ସଙ୍ଗୀତ

କବିସୂର୍ଯ୍ୟ ବଳଦେବ ରଥ

 

ଛୋଟ ଢୁମ୍ପା

 

 

ତୋ ଚାରୁ ଚାହାଣୀ ଚାହିଁ

 

 

ମରି ତୁ ଆବୁର ସାରି ପକା ପଛେ

 

 

ମୋ ନିଆଳୀ

 

 

ମୋ ଦେହ ତ ସହୁ ନାହିଁ

। ୧ ।

 

ଦିଅ ଯେତେ ଇଚ୍ଛା ଦଣ୍ଡ

 

 

ଝୁମି କାମ ସଙ୍ଗେ ଝୁଣି ଦେବି ସିନା

 

 

ମୋ ନିଆଳୀ

 

 

ଝଳି ଝଲମଲ ଗଣ୍ଡ

। ୨ ।

 

ହେବୁଟି କି ଶିରଗଭା

 

 

କାଳ ସହୁନାହିଁ ବାଳମୃଗଦୃଶା

 

 

ମୋ ନିଆଳୀ

 

 

ନୂଆ ବିକଶିତ ଶୋଭା

। ୩ ।

 

ତୋହ ପରି ତୁହି ସିନା

 

 

ବିଜେ କଲା ପୁରେ ପୁରି ରହିଥାଏ

 

 

ମୋ ନିଆଳୀ

 

 

ବନଜ-ବନ-ବାସନା

। ୪ ।

 

ଅଛି ଯେବେ ଅନୁକମ୍ପା

 

 

କାତି ଝିଙ୍କି ପଛେ ଛାତିରେ ପ୍ରହାର

 

 

ମୋ ନିଆଳୀ

 

 

ହୀରା ବୁଲାକି ନ କମ୍ପା

। ୫ ।

 

ପାସୋର ବାସର ଲାଜ

 

 

ପଛକୁ ପକାଇ ନ ଦେଲେ ନ ଚଳେ

 

 

ମୋ ନିଆଳୀ

 

 

ବିଧି ନିଷେଧକୁ ଆଜ

। ୬ ।

 

ତୋ କୁଚ ତ କରକଶ

 

 

ସବୁ ଗୁମାନ ଆଉ କେତେବେଳକୁ

 

 

ମୋ ନିଆଳୀ

 

 

ଥରେ ମୋହ କରେ କଷ

। ୭ ।

 

ଚୁମ୍ବନେ କଲେ ଶରଧା

 

 

ଚରଣଠାରୁ କବରୀଯାଏ ତୋର

 

 

ମୋ ନିଆଳୀ

 

 

କାହିଁ ପୂରି ନାହିଁ ସୁଧା

। ୮ ।

 

ଚତୁରଦଶ ଭୁବନେ

 

 

ରସବତୀ ଚକ୍ର ଚୂଡ଼ାମଣି ବୋଲି

 

 

ମୋ ନିଆଳୀ

 

 

ତୋ ବିନେ ଆନେ ନ ମାନେ

। ୯ ।

 

କାହିଁକି ଚାଲୁ ତୁ ତଳେ

 

 

ଘାଣ୍ଟି ହେଉଅଛି କଣ୍ଟୀରବମଧ୍ୟା

 

 

ମୋ ନିଆଳୀ

 

 

ମୋ ମନଯାକ ବିକଳେ

। ୧୦ ।

 

ଆନ ନାହିଁ ତୋହ ବିନା

 

 

ଅଷ୍ଟଦୁର୍ଗଧରାବର ଆରେ ଧୀରା

 

 

ମୋ ନିଆଳୀ

 

 

ତୋହର ଅଧୀନ ସିନା

। ୧୧ ।

Image

 

ଜାଈଫୁଲ ଢୁମ୍ପା

 

 

କରୀଗତି ଚାନ୍ଦମୁହିଁ

 

 

କରି ଗତି ରସେ ରଜନୀ ପୁହାଏ

 

 

ଜାଈଫୁଲ ରେ

 

 

ତୋ ରୂପ ଲାବଣ୍ୟ ଚାହିଁ

। ୧ ।

 

ଖରପରଶୁମୋହନା

 

 

ଖଣ୍ଡପରସା ବଚନକୁ କହ

 

 

ଜାଈଫୁଲ ରେ

 

 

ଖଣ୍ଡ ହୃଦୟ ବେଦନା

। ୨ ।

 

ଗିରୀଷମ କାଳେ ଧନ

 

 

ଗିରିସମ କୁଚେ ଲେପି ଚନ୍ଦନ

 

 

ଜାଈଫୁଲ ରେ

 

 

କରୁଥାଉ ଆଲିଙ୍ଗନ

। ୩ ।

 

ଘନସାର ମୋ ହୃଦକୁ

 

 

ଘନସାରକେଶୀ ଝାଡ଼ି ଦେଇ କରି

 

 

ଜାଈଫୁଲ ରେ

 

 

ଗାଢ଼େ ଆଲିଙ୍ଗନ କରୁ

। ୪ ।

 

ନାଗରମଣିକି ତତେ

 

 

ନାଗମଣିକୁମ୍ଭସ୍ତନା ସମାନ ରେ

 

 

ଜାଈଫୁଲ ରେ

 

 

ଓଇବେ ନୋହେ ପରତେ

। ୫ ।

 

ଚନ୍ଦ୍ରମୁହୀଁ ପ୍ରାଣଧନ

 

 

ଚନ୍ଦ୍ର ମୁହଁ ଚାଳି ରତି କଲା କାଳେ

 

 

ଜାଈଫୁଲ ରେ

 

 

ଶୀତ୍କାରେ ଭଜୁ ଅଜ୍ଞାନ

। ୬ ।

 

ଛାଇ ବିପରୀତ ମୋର

 

 

ଛାଇଟି ପରାଏ ଦେହକୁ ନ ଛାଡ଼େ

 

 

ଜାଈଫୁଲ ରେ

 

 

ସେରୂପେ ଥିବି ପାଶର

। ୭ ।

 

ଜାତୀକରଜା ସୁକେଶୀ

 

 

ଜାତିକର ଦିବ୍ୟହୀରକ ସୁଦନ୍ତୀ

 

 

ଜାଈଫୁଲ ରେ

 

 

ଚନ୍ଦ୍ରଚନ୍ଦ୍ରମା ସୁହାସୀ

। ୮ ।

 

ଝଳି ସୁନାଅଙ୍ଗୀ ରତେ

 

 

ଝଳି ସୁନା ପରି ଗାଢ଼େ ଭିଡ଼ି କରି

 

 

ଜାଈଫୁଲ ରେ

 

 

ନ ଦେଉ କି ସୁଖ ମୋତେ

। ୯ ।

 

ନିଶାରେ ସିତକରଜା

 

 

ନିଶାରେ ଶୀତରେ ଆଦର ନ କରି

 

 

ଜାଈଫୁଲ ରେ

 

 

ଅଙ୍ଗସଙ୍ଗେ ଦେଉ ମଜା

। ୧୦ ।

 

ଟିକାଏ ବିକଳ ନୋହି

 

 

ଟୀକା ଏବେ କାମରଜାର ଭାଙ୍ଗିବ

 

 

ଜାଈଫୁଲ ରେ

 

 

ତୋ ସାହାରେ ପ୍ରାଣସହି

। ୧୧ ।

 

ଠଉରିବି ନାହିଁ ବୋଲି

 

 

ଠଉରି ବିରାଗ ପାଇଣ ମଦନ

 

 

ଜାଈଫୁଲ ରେ

 

 

ପଳାଏ ରତେ ଛଇଳି

। ୧୨ ।

 

ଡାକି କରିଗତି ତୋତେ

 

 

ଡାକି କରିଅଛି ଡାକମଝା ସରି

 

 

ଜାଈଫୁଲ ରେ

 

 

ନୁହଇ ମୁଁ କଦାଚିତେ

। ୧୩ ।

 

ଢାଳି ସୁଧାକର ମୁଖ

 

 

ଢାଳି ସୁଧା କି ଭଙ୍ଗୀରେ ଚାହୁଁ ଥାଉ

 

 

ଜାଈଫୁଲ ରେ

 

 

ଉପୁଜାଇ କେତେ ସୁଖ

। ୧୪ ।

 

ଅବଧରି ତୋ ଆଜ୍ଞାକୁ

 

 

ଅବଧ ରିପୁ କାମକୁ ଦଣ୍ଡ ଦେବି

 

 

ଜାଈଫୁଲ ରେ

 

 

ସେବାରେ ଘେନି ମନକୁ

। ୧୫ ।

 

ତାରତମ କଲେ ସହି

 

 

ତାରତ ମଧ୍ୟରେ କଳଙ୍କ ମୁଖକୁ

 

 

ଜାଈଫୁଲ ରେ

 

 

ଇନ୍ଦ୍ରସମ ହେବ କେହି

। ୧୬ ।

 

ଥର ଥରକେ ମୋ ଅଙ୍ଗ

 

 

ଥରଥର ହୁଏ କାମଶରଘାତେ

 

 

ଜାଈଫୁଲ ରେ

 

 

ଋତୁରେ ନ ପାଏ ସଙ୍ଗ

। ୧୭ ।

 

ଦରଶନକମୋହିନୀ

 

 

ଦରଶନ ବିନା ତୋହର କାମକୁ

 

 

ଜାଈଫୁଲ ରେ

 

 

ନୋହିଲେ ଥାଏ ନ ମାନି

। ୧୮ ।

 

ଧରମ ନ କରି ନିକି

 

 

ଧର ମନରେ ପାଇଛି ମୁହିଁ ହେମ

 

 

ଜାଈଫୁଲ ରେ

 

 

ଚମ୍ପକସୁବରନୀକି

। ୧୯ ।

 

ନରବର-ସୁତା ଘେନ

 

 

ନରବରଜେ ସମାନ ସତେ ନାହିଁ

 

 

ଜାଈଫୁଲ ରେ

 

 

ପାଇ ତୋ ପ୍ରେମରତନ

। ୨୦ ।

 

ପରମଦାବଚ ସହି

 

 

ପରମ ଦାରୁଣ ଫୁଲଧନୁ ପାଦେ

 

 

ଜାଈଫୁଲ ରେ

 

 

ଅନୁସରି ଅଛି ମୁହିଁ

। ୨୧ ।

 

ଫୁଲୁଥାଏ ଯେବେ ନାସା

 

 

ଫୁଲୁଥାଏ କାମ ମନ ସାହା ପାଇ

 

 

ଜାଈଫୁଲ ରେ

 

 

କରିଣ ତୋତେ ଭରସା

। ୨୨ ।

 

ବରଷ ଶହେ ତପରେ

 

 

ବଚ ସଂଶୟେ ଛାଡ଼ି ପୂର୍ବେ ପାଇଛି

 

 

ଜାଈଫୁଲ ରେ

 

 

ଶିବଙ୍କୁ ମନାଇ ବାରେ

। ୨୩ ।

 

ଭାରତୀକି ଶୁଣି ତୋର

 

 

ଭାରତୀ କି ପାଞ୍ଚି ବୀଣା ଫିଙ୍ଗି ଦେବେ

 

 

ଜାଈଫୁଲ ରେ

 

 

ଲଜ୍ଜାରେ ହୋଇ କାତର

। ୨୪ ।

 

ମନମଥ ନାମ ଯାର

 

 

ମନମଥନୀ ଅଟୁ ତୁ ତାହାର

 

 

ଜାଈଫୁଲ ରେ

 

 

ଶଶିହାସୀ ରାମାବର

। ୨୫ ।

 

ଜୀବନଜବଦାନକୁ

 

 

ଜୀବନ ଯତନେ ବିକି ଦେଇଅଛି

 

 

ଜାଈଫୁଲ ରେ

 

 

କି ଡର କାମ ଛାରକୁ

। ୨୬ ।

 

ରତିକର ତୁଳା ତୋର

 

 

ରତି କରକରଦନା ଊଣାହେବ

 

 

ଜାଈଫୁଲ ରେ

 

 

ସମ କେ ଅଛି ସଂସାରେ

। ୨୭ ।

 

ଲକ୍ଷ ଦେବୀ ସେବା କରି

 

 

ଲକ୍ଷ୍ୟ ଦେବି ତୋତେ ବିଚାରି କବିଏ

 

 

ଜାଈଫୁଲ ରେ

 

 

ନ ପାଇଲେ ତିନି ପୁରୀ

। ୨୮ ।

 

ବଳିଆଇ କହ ଧନ

 

 

ବଳିଆଇ ଶୂର ରଖି ଜୀବନରେ

 

 

ଜାଈଫୁଲ ରେ

 

 

ତୋ ଅଧର ସୁଧାପାନ

। ୨୯ ।

 

ସାରସଗତି ମହିଳା

 

 

ସାରସଙ୍ଗତ ପାଇ ମୁହିଁ ନିରତେ

 

 

ଜାଈଫୁଲ ରେ

 

 

ଭାବେ ହେଉଥାଏ ଭୋଳା

। ୩୦ ।

 

ସୁବରନକୁ ତୋହର

 

 

ସୁବରନ ସରି ନୋହିଣ ଅନଳେ

 

 

ଜାଈଫୁଲ ରେ

 

 

ଦହୁଅଛି ତା ଶରୀର

। ୩୧ ।

 

ସୁରମଣୀ ପାଶେ ଥିଲେ

 

 

ସୁରମଣି ପଦ ବଳାତ୍କାରେ ମୋର

 

 

ଜାଈଫୁଲ ରେ

 

 

ପଡ଼ିଥାଏ ପାଦ ତଳେ

। ୩୨ ।

 

ହରବର ପାଇ କେତେ

 

 

ହର ବର ପାଇ ପାଇଲି ତତେ

 

 

ଜାଈଫୁଲ ରେ

 

 

ନ ଥିଲା ମନ ପରତେ

। ୩୩ ।

 

କ୍ଷିତି ପହଞ୍ଚିବା ଭାବ

 

 

କ୍ଷିତିପ ହରିଚନ୍ଦନ କହେ ତତେ

 

 

ଜାଈଫୁଲ ରେ

 

 

ଦେଖି ଦିବକୁ ତେଜିବ

। ୩୪ ।

Image